Another Savitri in Odia Women Focused by Gopal Krushna Das books and stories PDF | ଅନ୍ୟ ଏକ ସାବିତ୍ରୀ

Featured Books
Categories
Share

ଅନ୍ୟ ଏକ ସାବିତ୍ରୀ

                       ଅନ୍ୟ ଏକ ସାବିତ୍ରୀ
                                            
                                ଲେଖକ:- ଗୋପାଳ କୃଷ୍ଣ ଦାସ 
                                             ଭୁବନେଶ୍ବର, ଓଡ଼ିଶା                                       https://authorgopaldas.in

ସକାଳର ସୂର୍ଯ୍ୟ ଆଜି ଯେମିତି ଅଗ୍ନି ବର୍ଷା କରୁଥାଏ। ଗାଁର ମାଟି ରାସ୍ତା ଉପରେ ଖରାର ତାତି ଟା ଉନ୍ମତ୍ତ ଭାବରେ ନାଚୁଥିଲା ଯେମିତି। ପବନ ମଧ୍ୟ ଗରମ ନିଶ୍ୱାସ ଭଳି ଲାଗୁଥିଲା। ସେହି ଅସମ୍ଭବ ତାତି ଭିତରେ ଅନୁ ବାରମ୍ବାର ଘରୁ ଦୁଆର ଆଡ଼କୁ ଚାହୁଁ ଥାଏ।

ସଚିକାନ୍ତ ସକାଳୁ ହଳ ନେଇ ବିଲକୁ ଯାଇଛି ଯେ ଯାଇଛି। ଅନ୍ୟ ଦିନେ ଭଳି ଖରା ମୁଣ୍ଡ ଉପରକୁ ଯିବା ପୂର୍ବରୁ ସେ ଫେରି ଆସେ। ବଳଦ ଦୁଇଟିକୁ ଘୁଆଳରେ ବାନ୍ଧି, କୁଣ୍ଡା ତୋରାଣି ଦେଇ, ନିଜେ ବାସି ତୋରାଣି ପିଇ ଗାଁ ମୁଣ୍ଡ ଟିଉବଏଲକୁ ଗାଧୋଇବାକୁ ଯାଏ। କିନ୍ତୁ ଆଜି ସୂର୍ଯ୍ୟ ଆକାଶ ମଝିରୁ ଢଳିବାକୁ ବସିଲାଣି, ତଥାପି ସଚିର ଛାୟା ଚିହ୍ନ ନାହିଁ।
ଅନୁର ମନରେ ଅଳ୍ପ ରାଗ, ଅଳ୍ପ ଅଭିମାନ ଜନ୍ମ ନେବା ଆରମ୍ଭ କରି ସାରିଥାଏ।
“ଆଜି ପରା ସାବିତ୍ରୀ ବ୍ରତ… ଏତେ ଡେରି କରିବା କଥା କି?”
ସେ ଗାଧୋଇ ସାରି ସଚି ହାଟରୁ ଆଣିଥିବା ନୂଆ ଶାଢ଼ୀ ପିନ୍ଧି ଠାକୁର ଘରେ ପୂଜା ସରି ଥାଏ ସେତେ ବେଳକୁ । କେବଳ ସ୍ୱାମୀର ଅପେକ୍ଷା। ଭୋକରେ ପେଟ ଜଳୁଥିଲା ଅନୁର, ତଥାପି ସଚି ଆସିବା ପୂର୍ବରୁ ସେ ପାଣି ମଧ୍ୟ ମୁହଁରେ ଦେଇନଥିଲା। ଆମ୍ବ ଓ ପଣସ ଥାଳିରେ ସଜା ହୋଇ ରହିଥିଲା ସେମିତି।

ସଚି ଯିବା ବେଳେ କେତେଥର କହିଥିଲା, “ଅନୁ, ମୁଁ ସଅଳ ଫେରି ଆସିବି।”
ସେହି କଥାଗୁଡ଼ିକ ଅନୁର କାନରେ ବାରମ୍ବାର ବାଜୁଥିଲା ତା ସହିତ କ୍ରୋଧ କୁ ଦୁଇଗୁଣିତ କରୁଥାଏ ଯେମିତି।
କିନ୍ତୁ ବିଲ ତ ଗାଁ ପାଖରେ ନୁହେଁ। ଦୁଇ କୋଶ ରାସ୍ତା। ଏହି ନିଆଁ ନଗା ଖରାରେ ଏକାକୀ ଯିବାକୁ ଭୟ ଲାଗୁଥିଲା ଅନୁକୁ। ଶେଷରେ ସେ ଭାବିଲା, ପଡ଼ୋଶୀ ଘରର ବାବୁଲାକୁ କହିବ ଟିକେ ଯାଇ ଖବର ନେବା ପାଇଁ।
ହେଲେ ବାବୁଲାର ଚରିତ୍ରକୁ ଅନୁ ଭଲଭାବରେ ଜାଣିଥିଲା। ଗାଁ ଦାଣ୍ଡରେ ଯାଉଥିବା ପ୍ରତ୍ୟେକ ଝିଅ ଓ ସ୍ତ୍ରୀଙ୍କୁ ଦୁଇ ଅର୍ଥର କଥା କହି କମେଣ୍ଟ ମାରିବା ତା ସହିତ ଗାଆଁ ଦୋକାନ ଆଗରେ ସିଗାରେଟ୍ ଲଗାଇ ବଡ଼ ବଡ଼ ଭାଷଣ ଦେବା ରେ ସେ ଏକପୋର୍ଟ। ବାବୁଲା ବାପା ଚାଲିଗଲା ପରେ ଖୁଡି କଥା ନମାନି ବାବୁଲା ଟା ଖରାପ ରାସ୍ତାରେ ପାଦ ଦେଇଥିଲା। ସେ ମଧ୍ୟ ଅନୁ କୁ ବହୁତ୍ ଥର ଏମିତି କମେଣ୍ଟ ମାରିବାର ଦୃଷ୍ଟାନ୍ତ ଅଛି। 
ଅନୁ କେତେଥର ଭାବିଥିଲା ସବୁ କଥା ସଚିକୁ କହିବ। ପୁଣି ଭାବିଥିଲା, “କଣ ଦରକାର? ଅକାରଣେ ଘରେ ଅଶାନ୍ତି ବଢ଼ିବ।”
ତାପରେ ମନେମନେ ଭାବେ, “ଆଲୋ ସଖୀ, ଆପଣା ମହତ ଆପେ ରଖି ।…”
ହେଲେ ଆଜି ଆଉ କେହି ତାର ସହା ଭରସା ନାହାନ୍ତି କେବଳ ଏହି ବଦମାସ୍ ବାବୁଲା କୁ ଛାଡି ଦେଲେ। 

ଅସୁବିଧା ସମୟରେ ଭଗବାନ ଗଧ ପାଦ ଧରିଥିଲେ, ଆଉ ମୁଁ ତ ଛାର, ଏହି କଥା। ଭାବି ଭାବି,
ଅନୁ ଘରୁ ବାହାରି ବାବୁଲାଙ୍କ ଘରକୁ ଗଲା। ଦାଣ୍ଡଘରର କବାଟ ଆଧା ଖୋଲା ଥିବା ପରି ମନେ ହେଉ ଥାଏ । ଘରଟି ପୂର୍ଣ୍ଣ ରୂପେ ନିରବ, ତା ସହିତ ସିଗାରେଟ୍ ଉକ୍ତଟ ଗନ୍ଧ ଘର ସାରା ଖେଳାଇ ହୋଇ ରହିଥାଏ। ସେ ଧୀରେ ଧୀରେ ଭିତରକୁ ପସି ଡାକିଲା, “ଖୁଡ଼ି… ଘରେ କେହି ନାହାଁନ୍ତି କି?”

କୌଣସି ଉତ୍ତର ମିଳିଲା ନାହିଁ।

ଅନୁ ଘର ଭିତରେ ଆଉ ଦୁଇ ପାଦ ଆଗକୁ ବଢ଼ିଥିବା ବେଳେ, ହଠାତ୍ ମନେ ହେଲା ଯେମିତି ପଛରୁ ଦୁଇଟି ଶକ୍ତ ହାତ ତାକୁ ଟାଣି ନେଉଛି ଗୋଟିଏ ଅନ୍ଧାରିଆ ଘର ଭିତରକୁ। ମୁହୂର୍ତ୍ତରେ ସେ ଭୟରେ ଥରିଉଠିଲା।

“ବଞ୍ଚାଅ…!”

ତାର ଚିତ୍କାର ଯେମିତି ଚାରିଦିଗର ଗରମ ପବନରେ ହରାଇ ଯାଉଥିଲା। ନାକ ଉପରେ ଗୋଟିଏ ତୀବ୍ର ଗନ୍ଧ ଥିବା ରୁମାଲ ଚାପି ଧରିଲା ହାତ ଦୁଇଟି । ପରେ ଶରୀର ଧୀରେ ଧୀରେ ଅସାର ହେବାକୁ ଲାଗିଲା।

ଅସ୍ପଷ୍ଟ ଆଖିରେ ସେ ଦେଖିଲା ବାବୁଲାର କଦର୍ଯ୍ୟ ମୁହଁ ଟିକୁ। ସିଗାରେଟ ଧୂଆଁରେ କଳା ପଡ଼ିଥିବା ତାର ଓଠ ଅନୁର ଗୋରା ଗୋରା ଗାଲ ଉପରେ ଲଜ୍ଜାହୀନ ଚିହ୍ନ ଆଙ୍କି ବାକୁ ଚେଷ୍ଟା କରୁଥାଏ। ଅନୁ ସବୁ ବୁଝୁଥିଲା, କିନ୍ତୁ ଶରୀର ତାକୁ ସାଥ ଦେଉନଥିଲା ସେତେ ବେଳକୁ। ଆଉ ବାବୁଲା ର ସେହି ପାପୀ ଶକ୍ତ ହାତ କୁ ଜୋର ରେ ଧରି ରଖିବାକୁ ଚେଷ୍ଟା କଲେ ମଧ୍ୟ ପାରି ନଥିଲା ଅନୁ। ତାପରେ ହାତ ଦୁଇଟି ଅନ୍ୟାୟସ ରେ ଖେଳି ବୁଲୁଥିଲା ଅନୁ ର ଶରୀର ଉପରେ। ମାତ୍ର ଦୁଇ ବର୍ଷ ବିବାହ ମଧ୍ୟରେ , ସେ କେବେ କଳ୍ପନା କରି ନଥିଲା ଏମିତି ଭାବରେ ଧର୍ଷିତା ହେବ ବୋଲି.....।

ସେହି ଅସହାୟ ମୁହୂର୍ତ୍ତରେ ତାର ମନେ ପଡ଼ିଲା ଦ୍ରୌପଦୀଙ୍କ କଥା। କୁରୁସଭାରେ ଯେତେବେଳେ ଦୌପଦୀ ସମ୍ପୂର୍ଣ୍ଣ ଭାବେ କୃଷ୍ଣଙ୍କୁ ନିଜକୁ ସମର୍ପଣ କରି ନଥିଲେ, ସେତେବେଳେ ପଯ୍ୟନ୍ତ କୃଷ୍ଣ କୋଟି ବସ୍ତ୍ର ଦେଇ ନଥିଲେ । ଆଉ ସେ ବା ଚ୍ଛାର ମଣିଷ....!


ଅନୁ ମନେମନେ କାନ୍ଦି ଉଠିଲା, “ହେ ଠାକୁର… ମୋତେ ବଞ୍ଚାଅ…”

ଏବଂ ସେହି ସମୟରେ ଯେମିତି ଭଗବାନ ତାର ଆର୍ତ୍ତନାଦ ଶୁଣିଲେ।

ଅଚାନକ କେଉଁଠୁ ଥିଲା ଗୋଟିଏ କଳା ବିଲେଇ ଲାଫ ମାରିଲା ତାଜା ଉପରକୁ। ଆଉ ଉପରେ ଥିବା ବଡ଼ ପିତଳ ଲୋଟାଟି ଧଡାମ୍ କରି ବାବୁଲାର ମୁଣ୍ଡ ଉପରେ ପଡ଼ିଲ।

“ବୋଉଲୋ… ମରିଗଲି ମରିଗଲି ବୋଲି ଚିତ୍କାର କରି ବାବୁଲା ଖଟ ତଳକୁ ଖସିପଡ଼ିଲା।

 ମୁହୂର୍ତ୍ତ ଟିକ ମଧ୍ୟ ଅପେକ୍ଷା କଲା ନାହିଁ ଅନୁ। ଲୁଗା ଓ ବେଣୀ ସଜାଡ଼ି ସେ ଦୌଡ଼ି ଚାଲିଲା ବିଲ ଆଡ଼କୁ। ସଚିକୁ ସବୁ କହିଦେବ ସେ, ତାର ବକ୍ଷ ଭିତରେ ଜମିଥିବା ଭୟ ଓ ଅପମାନର ଝଡ଼ ଆଉ ଅଟକି ରହିପାରୁନଥିଲା ଯେମିତି। ମନେ ମନେ ଭଗବାନ ଙ୍କୁ କୋଟି ଧନ୍ୟବାଦ ଜଣାଇ , ଆଖିରୁ ଅଶ୍ରୁ ଧାରା ନେଇ ଚାଲିଥିଲା ବିଲ ମୁଣ୍ଡ କୁ

ହେଲେ ସେ କଣ ଜାଣି ଥିଲା??, ଆଉ ଗୋଟିଏ ବିପଦ ତାର ପଥ ଓଗାଲି ବସିଛି।

ନିଆଁ ଭଳି ତଳକୁ ଖସୁଥିବା ଖରାକୁ ଖାତିରି ନକରି ଅନୁ ବିଲ ମୁଣ୍ଡରେ ପହଞ୍ଚି ,ଯାହା ଦେଖିଲା, ତାର ପାଦ ତଳର ମାଟି ଖସିଗଲା ପରି ମନେ ହେଉ ଥାଏ।

ଗଛ ମୂଳରେ ସଚି ଅଚେତ ହୋଇ ପଡ଼ିଥିଲା। ପାଖରେ ବଳଦ ଦୁଇଟି ନିରବରେ ଠିଆ ହୋଇଥିଲେ, ଯେମିତି ନିଜ ପ୍ରଭୁଙ୍କୁ ପହରା ଦେଉଛନ୍ତି।

ଖରାର ନିର୍ଦ୍ଦୟ ତାତିରେ ସଚିକୁ ଲୁ ଲାଗିଯାଇଥିଲା।

“ସଚି…!”

ଅନୁର ହୃଦୟ ଫାଟିଗଲା। ସେ ନିଜର ସମସ୍ତ ଶକ୍ତି ଲଗାଇ ସଚିକୁ ଟେକି ରାସ୍ତା ଉପରକୁ ଆଣିଲା। ତାପରେ ଲୋକଙ୍କ ସାହାଯ୍ୟରେ ପାଖ ଡାକ୍ତରଖାନାକୁ ନେଇଗଲା।

କିଛି ସମୟ ପରେ ସଚିର ଆଖି ଧୀରେ ଧୀରେ ଖୋଲିଲା।

ଆଖି ଖୋଲି ପ୍ରଥମେ ସେ ଅନୁକୁ ଦେଖିଲା। ଅନୁର ଆଖିରେ ଲୁହ, କପାଳର ସିନ୍ଦୂର ଝାପସା, ଶାଢ଼ୀ ଅସଜାଡ଼ା।

ସଚି ଦୁର୍ବଳ କଣ୍ଠରେ ପଚାରିଲା, “ଅନୁ… ତୁ କାନ୍ଦୁଛୁ କାହିଁକି? ମୁଁ ଭଲ ହୋଇଗଲିଣି! ଟିକେ ଖରା ପଶିଗଲାଣୁ ମୁଣ୍ଡ ବୁଲାଇ ଦେଇଥିଲା”

ଅନୁ ଆଉ ନିଜକୁ ଅଟକାଇ ପାରିଲା ନାହିଁ। ସେ ସଚିର ଛାତି ଉପରେ ମୁଣ୍ଡ ରଖି ଫୁଟି ଫୁଟି କାନ୍ଦିଉଠିଲା। ଏହି ଅଶ୍ରୁ ନଥିଲା ପ୍ରତିଶୋଧ ର ବରଂ ଆଜି ଭଳି ପବିତ୍ର ସାବିତ୍ରୀ ରେ ଭଗବାନ ତାର ପରୀକ୍ଷା ନେଇ ଶେଷ ରେ ତାର ପ୍ରାର୍ଥନା ଶୁଣି ତାର ଇହକାଳ ପରକାଳ ର ଦେବତା ସ୍ୱାମୀ କୁ ଫେରି ପାଇବାର ଖୁସିରେ...... 

ବାହାରେ ସୂର୍ଯ୍ୟର ତାତି ଏବେ ମଧ୍ୟ ସେଇଭଳି ଥିଲା। କିନ୍ତୁ ଅନୁର ମନେ ଲାଗୁଥିଲା, ସେ ଆଜି ଗୋଟିଏ ନୁହେଁ, ଦୁଇଟି ଯମଦ୍ୱାରରୁ ଫେରି ଆସିଛି।

                                              ସମାପ୍ତ.....